Skip to main content

ପୁରୀ : ସ୍ୱର୍ଗଦ୍ୱାର ଶୋଷଣକୁ ପ୍ରୋତ୍ସାହନ


* ଶବ ଦାହ ଓ ପଥ ଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି
* ଦୁଇଗୁଣ ହେଲା ସ୍ୱର୍ଗଦ୍ୱାର ବିକାଶ ଫି





ସ୍ୱର୍ଗଦ୍ୱାର ଶ୍ମଶାନରେ ଶୋଷଣକୁ ପ୍ରୋତ୍ସାହନ ଦେଇଛି ପ୍ରଶାସନ  ।
ଅଧିକ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କବି ରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପୁରୀ ପୌରସଂସ୍ଥା ଶବଦାହ ଓ ପଥଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି
କରିଛି  । ବର୍ଦ୍ଧିତ ମୂଲ୍ୟ ଶୁକ୍ରବାରଠାରୁ ଲାଗୁ କରାଯାଇଛି  । ସ୍ୱର୍ଗଦ୍ୱାର ବିକାଶ ଏବଂ ପରିମଳ ଫି ୨ଗୁଣ ବୃଦ୍ଧି ପାଇଛି  । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିଷ୍ପତ୍ତି ଅନୁଯାୟୀ ଶବସକ୍ରାର ପାଇଁ ମୂଲ୍ୟବୃଦ୍ଧି କରାଯାଇଥିବା ପୌରସଂସ୍ଥା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି  । ଏଥିଯୋଗୁଁ ସ୍ୱର୍ଗଦ୍ୱାର ଶ୍ମଶାନରେ ଶବଦାହ ଅଧିକ ବ୍ୟୟବହୁଳ ହୋଇଛି  । ଶବଦାହକ ଏବଂ ବ୍ରାହ୍ମଣଙ୍କ ଜୁଲମ ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ଜୋରଜୁଲମ ତଥା ଅଧିକ ଅର୍ଥ ଆଦାୟ ବନ୍ଦ ପାଇଁ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨ମାସ ତଳେ ସୁପାରିସ କରିଥିଲା  । ପୌର କର୍ତ୍ତୃପକ୍ଷ ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଶବଦାହ, ବ୍ରାହ୍ମଣ ଦକ୍ଷିଣା, ବିକାଶ ଓ ପରିମଳ ମୂଲ୍ୟ ବୃଦ୍ଧିକରି ବେଡି ଉପରେ କୋରଡ଼ା ମାଡ଼ କରିଛନ୍ତି  । ଜିଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ମୂଲ୍ୟବୃଦ୍ଧି ପୂର୍ବରୁ ଜନସାଧାରଣଙ୍କ ଆପତ୍ତି କିମ୍ବା ପରାମର୍ଶ ଲୋଡ଼ାଯାଇ ନାହିଁ  । ପୌର ପରିଷଦ ବୈଠକରେ ମୂଲ୍ୟବୃଦ୍ଧି ନିଷ୍ପତ୍ତି ଅନୁମୋଦନ କରାଯାଇ ନଥିବା ଜଣାପଡିଛି  ।

ସ୍ୱର୍ଗଦ୍ୱାର ଶ୍ମଶାନରେ ଶୌଚାଳୟ, ପାନୀୟଜଳ, ସୁରକ୍ଷା ଓ ବିଶ୍ରାମସ୍ଥଳ ଆଦି ସର୍ବନିମ୍ନ ସୁବିଧା ସୁଯୋଗ ନଥିବା ବେଳେ ପୁରୀ ପୌରସଂସ୍ଥା ସ୍ୱର୍ଗଦ୍ୱାର ବିକାଶ ଫି ୨ଗୁଣ ବୃଦ୍ଧି କରିଛି  । ପୂର୍ବରୁ ଵିକାଶ ଫି ୬୦ଟଙ୍କା ଏବଂ ପରିମଳ ବାବଦକୁ ୫୦ଟଙ୍କା ଆଦାୟ କରାଯାଉଥିଲା  । ଏବେ ସ୍ୱର୍ଗଦ୍ୱାରରେ ଶବସକ୍ରାର କଲେ ବିକାଶ ବାବଦକୁ ୧୧୦ ଏବଂ ପରିମଳ ପାଇଁ ୧୦୦ଟଙ୍କା ଦେବାକୁ ପଡିବ  । ଶବଦାହକଙ୍କ ପାରିଶ୍ରମିକ ୩୦୦ରୁ ୫୦୦, ପଥଶ୍ରାଦ୍ଧ ଦକ୍ଷିଣା ୧୦୦ରୁ ୩୦୦ଟଙ୍କାକୁ ବୃଦ୍ଧି କରାଯାଇଛି  । ମୂଲ୍ୟବୃଦ୍ଧି ନିଷ୍ପତ୍ତି ଉଭୟ ହରିଶ୍ଚନ୍ଦ୍ର ସହାୟତା ଏବଂ ନିଜସ୍ୱ ଖର୍ଚ୍ଚରେ ଶବସକ୍ରାର କରୁଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ହୋଇଛି  । ପୌରସଂସ୍ଥା ପକ୍ଷରୁ ଏଥିନେଇ ଏକ କାର୍ଯ୍ୟାଳୟ ଆଦେଶ (ପତ୍ର ସଂଖ୍ୟା ୩୬୮୭ ତା୧୯.୫.୨୦୧୮ରିଖ) ଜାରି କରାଯାଇଛି  । ଜିଲାପାଳଙ୍କ ନିର୍ଦେଶକ୍ରମେ ମୂଲ୍ୟବୃଦ୍ଧି କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି  । ସ୍ୱର୍ଗଦ୍ୱାର ଶ୍ମଶାନରେ ମୃତକଙ୍କ ଶବସକ୍ରାର କଲେ ଆତ୍ମାର ସଦ୍‍ଗତି ହେବା ସହ ବିଷ୍ଣୁଲୋକରେ ସ୍ଥାନ ମିଳେ ବୋଲି ସାଧାରଣରେ ବିଶ୍ୱାସ ରହିଛି  । ତେଣୁ ପ୍ରତ୍ୟହ ପ୍ରାୟ ୬୦ରୁ ୮୦ ଜଣ ମୃତକଙ୍କ ଶବ ସେଠାରେ ସକ୍ରାର କରାଯାଏ  । ପୁରୀ ପୌରସଂସ୍ଥା ବର୍ଷ ବର୍ଷ ଧରି ସ୍ୱର୍ଗଦ୍ୱାର ବିକାଶ ଫି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଦିଆଯାଉ ନାହିଁ  । ସୁରକ୍ଷା, ପାନୀୟଜଳ, ଶୌଚାଳୟ ଓ ବିଶ୍ରାମସ୍ଥଳ ନଥିବାରୁ ଶବସକ୍ରାର ପାଇଁ ଆସୁଥିବା ଲୋକେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି  । ପଥଶ୍ରାଦ୍ଧ ପାଇଁ ଦାୟିତ୍ୱରେ ଥିବା ବ୍ରାହ୍ମଣ ୫୦୦ରୁ ୭୦୦ ଏବଂ ଶବଦାହକ ପ୍ରାୟ ୧୫ଶହ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଆସୁଛି  । ସ୍ୱଚ୍ଛ ସ୍ୱର୍ଗଦ୍ୱାର ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି  । ଶ୍ମଶାନ ଭିତରୁ ମାସ ମାସ ଧରି ଅଳିଆ ଆବର୍ଜନା ଉଠାଯାଉ ନାହିଁ  । ଶ୍ମଶାନ ଭିତରେ ଥିବା ପାଦଚଲା ରାସ୍ତା ସମେତ ପଥଶ୍ରାଦ୍ଧ ଗୃହ ଭାଙ୍ଗିରୁଜି ଗଲାଣି  । ସ୍ୱର୍ଗଦ୍ୱାର ବିକାଶ ଅର୍ଥ ଅନ୍ୟ ଦିଗରେ ଖର୍ଚ୍ଚ କରାଯାଉଛି  । ଜିଲା ପ୍ରଶାସନ ଏବଂ ପୁରୀ ପୌର କର୍ତ୍ତୃପକ୍ଷ ସ୍ୱର୍ଗଦ୍ୱାର ବିକାଶ ତଥା ପରିଚାଳନାରେ ବିଫଳ ହୋଇଛନ୍ତି  । ସେଠାରେ ବର୍ଷ ବର୍ଷ ଧରି ଚାଲିଥିବା ଶୋଷଣ ରୋକିବା ପରିବର୍ତ୍ତେ ଶବସକ୍ରାର ଏବଂ ପଥଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି କରାଯାଇ ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇଛି  । ଅତିରିକ୍ତ ଜିଲାପାଳଙ୍କ ସୁପାରିସ ଚପାଇ ରଖାଯାଇଛି  । ସ୍ୱର୍ଗଦ୍ୱାର ବିକାଶ ଅର୍ଥ ଆତ୍ମସାତ ଅଭିଯୋଗର ତଦନ୍ତ କରାଯାଉ ନାହିଁ  । ବାରମ୍ବାର ଦାବିସତ୍ତେ୍ୱ ସ୍ୱର୍ଗଦ୍ୱାର ଶ୍ମଶାନରେ କ୍ଲୋଜସର୍କିଟ କ୍ୟାମେରା, ପୁଲିସ ଫାଣ୍ଡି ପ୍ରତିଷ୍ଠା, ଶୌଚାଳୟ ଓ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନାହିଁ  । ତେଣୁ ପୌର କର୍ତ୍ତୃପକ୍ଷଙ୍କ ମୂଲ୍ୟ ବୃଦ୍ଧି ନିର୍ଦେଶନାମା ତୁରନ୍ତ ପ୍ରତ୍ୟାହାର କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି  ।


(ଏହି ଲେଖାଟି ୨୦୧୮ ମସିହା ଜୁନ ୩ (ରବିବାର) 'ଦୈନିକ ସମାଜ'ର ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ସଂଖ୍ୟା ୧୨ରେ ପ୍ରକାଶ ପାଇଥିଲା ।)

Comments